Gita Acharan |Odia

ପ୍ରତ୍ୟେକ ଭୌତିକ ପ୍ରଣାଳୀ ବିଭିନ୍ନ ଇନ୍‌ପୁଟ ନେଇଥାଏ ଏବଂ କିଛି ନିର୍ଦ୍ଧିଷ୍ଟ ଫଳାଫଳ ଉତ୍ପନ୍ନ କରେ । ଆମେ
ନିରନ୍ତର ଆମର ଫଳାଫଳକୁ ମାପୁ କିମ୍ବା ବିଚାର କରୁ ଯେପରିକି ଶବ୍ଦ ଏବଂ କାର୍ଯ୍ୟ । ଆମେ ଅନ୍ୟମାନଙ୍କ କାର୍ଯ୍ୟକଳାପ ସଙ୍ଗେ
ସଙ୍ଗେ ଆମ ଚାରିପାଖରେ ଥିବା ବିଭିନ୍ନ ପରିସ୍ଥିତିକୁ ମଧ୍ୟ ମୂଲ୍ୟାଙ୍କନ କରୁ । ବାସ୍ତବରେ, ବିବର୍ତ୍ତନ ପ୍ରକ୍ରିୟାରେ, ବିପଦକୁ
ଚିହ୍ନିବା ଆମ ପାଇଁ ଆବଶ୍ୟକ ଥିଲା । ତଥାପି, କାର୍ଯ୍ୟ ଠିକ୍‌ କି ଭୁଲ୍‌ ତାହା ନିର୍ଣ୍ଣୟ କରିବା ପାଇଁ ମାନକର ଅଭାବରେ ସମସ୍ୟା
ରହିଥାଏ, ଯେଉଁ କାରଣରୁ ଆମେ ସର୍ବଦା ଅଜ୍ଞତା ଉପରେ ଆଧାରିତ ଧାରଣା ଏବଂ ବିଶ୍ୱାସ ପ୍ରଣାଳୀ ଉପରେ ନିର୍ଭର କରୁ ।
ଯେତେବେଳେ ବି ଆମେ ଏପରି ସ୍ଥିତିର ସମ୍ମୁଖୀନ ହୋଇଥାଉ ଯାହା ଆମର ବିଶ୍ୱାସ ପ୍ରଣାଳୀ ଅନୁଯାୟୀ ହୁଏ, ଆମେ ଖୁସି ଏବଂ
ସନ୍ତୁଷ୍ଟ ଅନୁଭବ କରୁ ।
ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ କୁହନ୍ତି, “ଯାହାଙ୍କ ମନ ନିଜ ବଶରେ ଥାଏ, ଯେ ଜିତେନ୍ଦ୍ରିୟ ଓ ଯାହାଙ୍କ ଅନ୍ତଃକରଣ
ବିଶୁଦ୍ଧ ଏବଂ ସକଳ ପ୍ରାଣୀଙ୍କର ଆତ୍ମରୂପ ପରମାତ୍ମା ହିଁ ଯାହାଙ୍କର ଆତ୍ମା,ସେହି କର୍ମଯୋଗୀ କର୍ମ କରୁଥିଲେ ମଧ୍ୟ କର୍ମରେ
ଲିପ୍ତ ହୁଅନ୍ତି ନାହିଁ” (5.7) । ଏହା ପ୍ରଭୁଙ୍କଠାରୁ ଏକ ନିଶ୍ଚିତତା ଯେ, କେଉଁ ପରିସ୍ଥିତିରେ ଆମର କର୍ମ କଳଙ୍କିତ ହେବ ନାହିଁ ।
ଶ୍ରୀକୃଷ୍ଣ କହିଛନ୍ତି ଯେ ଶୁଦ୍ଧ ଅର୍ଥାତ୍‌ ଦ୍ୱେଷ ଏବଂ ଆକାଂକ୍ଷାରୁ ମୁକ୍ତ ପୁରୁଷ ଦ୍ୱାରା କରାଯାଇଥିବା କର୍ମ କଳଙ୍କିତ
ହୁଏ ନାହିଁ ଯିଏ ନିଜ ଆତ୍ମକୁ ସମସ୍ତ ପ୍ରାଣୀମାନଙ୍କ ଆତ୍ମ ରୂପରେ ଅନୁଭବ କରେ । ଉଲ୍ଲେଖନୀୟ ବିଷୟ ହେଉଛି ଯେ ଯେତେବେଳେ
ଜଣେ ନିଜକୁ ସମସ୍ତ ପ୍ରାଣୀରେ ଦେଖେ, ସେତେବେଳେ କୌଣସି କାରଣ ନଥାଏ ସେ କଳଙ୍କିତ କାର୍ଯ୍ୟ କିମ୍ବା ଅପରାଧ କରିବ ।
ଅପରପକ୍ଷେ, ‘ଆମର ଏବଂ ଅନ୍ୟମାନଙ୍କର’ ବିଭାଜନର ଦୃଷ୍ଟିରୁ କରାଯାଇଥିବା ଆମର ସମସ୍ତ କାର୍ଯ୍ୟ କଳଙ୍କିତ ହୁଏ ।
ଯେତେବେଳେ ଆମ ଚାରିପାଖରେ ଥିବା ପରିସ୍ଥତିକୁ ବିଚାର କରିବା କଥା ଆସେ, ଶ୍ରୀକୃଷ୍ଣ କୁହନ୍ତି, “ଯେଉଁ ପୁରୁଷ ସକଳ
କର୍ମ ପରମାତ୍ମାଙ୍କଠାରେ ଅର୍ପଣ କରିଦେଇ ଓ ଆସକ୍ତି ତ୍ୟାଗପୂର୍ବକ କର୍ମ କରନ୍ତି, ପଦ୍ମପତ୍ର ଯେପରି ଜଳ ଦ୍ୱାରା ଲିପ୍ତ
ହୁଏ ନାହିଁ, ସେହି ପୁରୁଷ ସେପରି ପାପରେ ଲିପ୍ତ ହୁଅନ୍ତି ନାହିଁ” (5.10) ।
ଯେତେବେଳେ ଆମର କର୍ମ ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର କର୍ମ ମଧ୍ୟ ପ୍ରଭୁଙ୍କୁ ସମର୍ପିତ ହୁଏ, ସେତେବେଳେ
ବିଭାଜନ ପାଇଁ କୌଣସି ସମ୍ଭାବନା ନଥାଏ । ସେତେବେଳେ ଆମେ ସମ୍ମୁଖୀନ ହେଉଥିବା ପରିସ୍ଥିତି ନାଟକ ଏବଂ ଅଭିନୟ ପରି ଦେଖାଯିବ,
ଯେଉଁଠାରେ ଆମେ ଆମର ଭୂମିକା ନିର୍ବାହ କରୁ ଏବଂ ଶ୍ରୀକୃଷ୍ଣ ଏହାକୁ ପଦ୍ମ ପତ୍ର ସହିତ ତୁଳନା କରନ୍ତି ।

https://samajaepaper.in/imageview_54_19720252265576_4_83_20-07-2025_6_i_1_sf.html


Contact Us

Loading
Your message has been sent. Thank you!