ଶ୍ରୀକୃଷ୍ଣ କହିଛନ୍ତି ଯେ ସତ୍ୟ ଯାହା ବାସ୍ତବିକତା ଏବଂ ସ୍ଥାୟିତ୍ୱ, କଦାପି ଶେଷ ହୁଏ ନାହିଁ । ଅସତ୍ୟ ଯାହା ଭ୍ରମ ଏବଂ
ଅସ୍ଥାୟୀ ଅଟେ, ଏହାର କୌଣସି ଅସ୍ତିତ୍ୱ ନାହିଁ । ଜ୍ଞାନୀମାନେ ହେଉଛନ୍ତି ସେମାନେ ଯିଏ ଦୁଇଟି ମଧ୍ୟରେ ପାର୍ଥକ୍ୟ କରିପାରନ୍ତି
(2.16) ।
ସତ୍ୟ ଏବଂ ଅସତ୍ୟର ଜଟିଳତାକୁ ବୁଝିବା ପାଇଁ ଅନେକ ସଂସ୍କୃତିରେ ଦଉଡ଼ି ଏବଂ ସାପର କାହାଣୀ ଅନେକ ସମୟରେ ଉଲ୍ଲେଖ
କରାଯାଇଥାଏ । ଜଣେ ବ୍ୟକ୍ତି ସନ୍ଧ୍ୟାରେ ଘରକୁ ଫେରି ତାଙ୍କ ଘରର ପ୍ରବେଶ ପଥରେ ଏକ ସାପ କୁଣ୍ଡଳୀ ମାରି ବସିବାର ଦେଖିଲେ ।
କିନ୍ତୁ ଏହା ବାସ୍ତବରେ ପିଲାମାନଙ୍କ ଦ୍ୱାରା ଛାଡି ଦିଆଯାଇଥିବା ଏକ ଦଉଡି ଥିଲା, ଯାହା ଅନ୍ଧକାରରେ ସାପ ପରି ଦେଖାଯାଉଥିଲା ।
ଏଠାରେ ଦଉଡି ହେଉଛି ସତ୍ୟର ପ୍ରତୀକ ଏବଂ ସାପ ହେଉଛି ଅସତ୍ୟର ପ୍ରତୀକ । ଯେପର୍ଯ୍ୟନ୍ତ ସେ ସତ୍ୟ ଅର୍ଥାତ୍ ଦଉଡି
ହୃଦୟଙ୍ଗମ ନକରନ୍ତି, ସେ ଅସତ୍ୟ ଅର୍ଥାତ୍ କଳ୍ପିତ ସାପର ମୁକାବିଲା ପାଇଁ ଅନେକ କୌଶଳ ଆପଣେଇ ପାରିବେ । ସେ ବାଡ଼ିରେ ତାକୁ
ଆକ୍ରମଣ କରିପାରେ କିମ୍ବା ପଳାଇପାରେ କିମ୍ବା ତା’ର ସତ୍ୟତା ପରୀକ୍ଷା କରିବା ପାଇଁ ଏକ ମଶାଲ/ଦୀପ ଜଳାଇପାରେ । ଆମର
ଅନୁମାନ ଅସତ୍ୟ ହେଲେ ସର୍ବୋତ୍ତମ ରଣନୀତି ଏବଂ କୌଶଳ ବ୍ୟର୍ଥ ହୁଏ ।
ଅସତ୍ୟର ଅସ୍ତିତ୍ୱ ସତ୍ୟରୁ ଆସିଥାଏ, ଯେପରି ଏକ ସାପ ଦଉଡ଼ି ବିନା ବିଦ୍ୟମାନ ନାହିଁ । ଯେହେତୁ ଅସତ୍ୟର ଅସ୍ତିତ୍ୱ
ସତ୍ୟ ହେତୁ, ଏହା ଆମକୁ ଏକ ଦୁଃସ୍ୱପ୍ନ ପରି ପ୍ରଭାବିତ କରିପାରେ ଯାହା ଆମ ଶରୀରକୁ ଶୋଇବା ସମୟରେ ଝାଳରେ ବୁଡାଇ
ଦେଇପାରେ ।
ଅସତ୍ୟ ଚିହ୍ନିବା ପାଇଁ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦିଆଯାଇଥିବା ବିଚକ୍ଷଣ ନୀତି ହେଉଛି “ଯାହା ଅତୀତରେ ବିଦ୍ୟମାନ ନଥିଲା
ଏବଂ ଭବିଷ୍ୟତରେ ମଧ୍ୟ ରହିବ ନାହିଁ ।’ ଯଦି ଆମେ ଇନ୍ଦ୍ରିୟରୁ ଜାତ ସୁଖର ଉଦାହରଣ ନିଅନ୍ତି, ତା’ହେଲେ ଏହା ପୂର୍ବରେ ନଥିଲା
ଏବଂ କିଛି ସମୟ ପରେ ମଧ୍ୟ ରହିବ ନାହିଁ । ପୀଡା ଏବଂ ଅନ୍ୟ ସମସ୍ତ ବିଷୟରେ ମଧ୍ୟ ସେମିତି ଅଟେ । ଏହି ସମ୍ବନ୍ଧରେ ସୂଚନା ଏହା
ଯେ ଅସତ୍ୟ ସମୟରେ ବିଦ୍ୟମାନ ଥିବାବେଳେ ସତ୍ୟ ଶାଶ୍ୱତ ଅଟେ ।
ସତ୍ୟ ହେଉଛି ଅନ୍ତରାତ୍ମା ଯାହା ଶାଶ୍ୱତ ଏବଂ ଅହଂକାର ହେଉଛି ଅସତ୍ୟ ଯାହା ଅନ୍ତରାତ୍ମାର ସମର୍ଥନରେ ନିଜକୁ
ବଞ୍ଚାଇଥାଏ । ଯେଉଁଦିନ ଆମେ ଦଉଡି ରୂପି ଆତ୍ମାକୁ ଆବିସ୍କାର କରୁ, ସାପ ରୂପି ଅହଂକାର ନିଜେ ଅଦୃଶ୍ୟ ହୁଏ ।